ଆରବିଆଇ ଓ ସରକାର ବିବାଦ : ୯ ଘଣ୍ଟା ପରେ ସମାଧାନର ବାଟ

0
368
rbi-board-meeting-ends

ନୂଆଦିଲ୍ଲୀ: କେନ୍ଦ୍ର ଓ ଆରବିଆଇ ବିବାଦରେ ବାହାରିଲା ସମାଧାନର ବାଟ। ଭାରତୀୟ ରିଜର୍ଭ ବ୍ୟାଙ୍କର ଗୁରୁତ୍ୱପୂର୍ଣ୍ଣ ବୋର୍ଡ ବୈଠକରେ ସମାଧାନର ବାଟ ବାହାରିଥିବା କୁହାଯାଉଛି । ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ ଓ ୪ଜଣ ଡେପୁଟି ଗଭର୍ଣ୍ଣରଙ୍କ ସହ ଅର୍ଥ ମନ୍ତ୍ରଣାଳୟର ପ୍ରତିନିଧି ଏଥିରେ ଯୋଗ ଦେଇଥିବା ବେଳେ ୯ ଘଣ୍ଟା ଧରି ବୈଠକ ଚାଲିଥିଲା । ବୈଠକରେ ରିଜର୍ଭ ବ୍ୟାଙ୍କ ନିକଟରେ ଥିବା ସଂରକ୍ଷିତ ପାଣ୍ଠିରେ କେତେ ପରିମାଣର ପାଣ୍ଠି ରହିବ ସେଥିପାଇଁ ଉଚ୍ଚସ୍ତରୀୟ କମିଟି ଗଠନର ନିଷ୍ପତି ନିଆଯାଇଛି ।ଏହି ବୈଠକରେ କ୍ଷୁଦ୍ର ବ୍ୟବସାୟୀଙ୍କୁ ୨୫ କୋଟି ଟଙ୍କାର ଋଣ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି । ଆରବିଆଇ ନିକଟରେ ଥିବା ୯ ଲକ୍ଷ ୬୯ ହଜାର କୋଟି ଟଙ୍କାରୁ ୩ ଲକ୍ଷ କୋଟି ଟଙ୍କା ଦେବାକୁ ସରକାର ଚାପ ପକାଉଛନ୍ତି । କିନ୍ତୁ ଏହାକୁ ନେଇ ରିଜର୍ଭ ବ୍ୟାଙ୍କ ଆପତି ଉଠାଇଛି। ତେବେ ସମ୍ଭାବ୍ୟ ଜରୁରୀକାଳିନ ସ୍ଥିତି ପାଇଁ ଟଙ୍କା ଗଛିତ କରି ରଖାଯିବା ଦରକାର ବୋଲି ଆରବିଆଇ କହିଛି । ସୂଚନା ଯୋଗ୍ୟ,ସଂରକ୍ଷିତ ପାଣ୍ଠି ପାଇଁ ବିଶେଷଜ୍ଞ କମିଟି ଗଠନର ନିଷ୍ପତି ନିଆଯାଇଥିବା ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି । କିଛି ଦିନ ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଓ କେନ୍ଦ୍ର ସରକାର ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ରିଜର୍ଭ ବ୍ୟାଙ୍କ ଡେପୁଟି ଗଭର୍ନର ବିରଲ୍ ଆଚାର୍ଯ୍ୟ କେନ୍ଦ୍ର ବିରୋଧରେ ସ୍ୱାୟତତା ହ୍ରାସର ଅଭିଯୋଗ ଆଣିବା ପରେ ମୁହାଁମୁହିଁ ହୋଇଥିଲେ କେନ୍ଦ୍ର ଓ ଆରବିଆଇ ।