ପଞ୍ଚକର ତୃତୀୟ ଦିନରେ ଶ୍ରୀବିକ୍ରମ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

0
372
sribikrama besa sri jagganath

ପୁରୀ : କାର୍ତ୍ତିକ ଶୁକ୍ଳ ତ୍ରୟଦଶୀ ତଥା ପଞ୍ଚକର ତୃତୀୟ ଦିନ ବୁଧବାର ରତ୍ନ ସିଂହାସନରେ ତିନି ଠାକୁରଙ୍କ ଶ୍ରୀବିକ୍ରମ ବେଶ ଅନୁଷ୍ଠିତ ହୋଇଯାଇଛି। ଏହି ବେଶରେ ଦର୍ଶନ ଲାଗି ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଜମିଛି। ମହାପ୍ରଭୁଙ୍କ ଅବକାଶ ନୀତି ବଢ଼ିବା ପରେ ପୁଷ୍ପାଳକ ସେବକମାନେ ଠାକୁରଙ୍କୁ ଶ୍ରୀବିକ୍ରମ ବେଶରେ ସଜାଇଥିଲେ। ଏହି ବେଶରେ ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କ ଶ୍ରୀମସ୍ତକରେ ସୋଲ, କନା, ବେତ, ଜମ୍ବୁରା, କଇଁଥ ଅଠା ଇତ୍ୟାଦିରେ ନିର୍ମିତ ଦୁଇଟି ଚୁଳ ଲାଗି ହୋଇଛି। ଏଥିସହ ଦୁଇଟି ସୂବର୍ଣ୍ଣ କିଆ ମଧ୍ୟ ଖଞ୍ଜା ଯାଇଥାଏ। ଏହି ବେଶରେ ଠାକୁର ଅନ୍ୟାନ୍ୟ ସୂବର୍ଣ୍ଣ ଅଳଙ୍କାର ମଧ୍ୟ ଧାରଣ କରିଥାନ୍ତି ଓ ଏଥିସହ ପ୍ରଭୁ ଜଗନ୍ନାଥ ଶ୍ରୀଭୂଜରେ ଶଙ୍ଖଚକ୍ର ଏବଂ ବଡ଼ଠାକୁର ହଳମୂଷଳ ଧାରଣ କରିଥାନ୍ତି। ଏହା ଅତ୍ୟନ୍ତ ମନ ମୁଗ୍ଧକର ବେଶ। କାର୍ତ୍ତିକ ଶୁକ୍ଳ ତ୍ରୟଦଶୀ ତିଥିରେ ଏହି ବେଶ ଦର୍ଶନ କଲେ ଅଶେଷ ପୂଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି।