ବାବା ଗୋରେଖନାଥ ମନ୍ଦିର ମହନ୍ତଙ୍କୁ ହତ୍ୟା

0
113

ହରିଆଣା: ହରିଆଣାର ରୋହତକ ଜିଲ୍ଲାରେ ବାବା ଗୋରେଖନାଥ ମନ୍ଦିରର ମହନ୍ତଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ତାଙ୍କର ଲହୁଲୁହାଣ ଶବ ଗୋଟିଏ ଗ୍ରାମର ସୁନସାନ ରାସ୍ତାରୁ ବରାମଦ ହୋଇଛି। ପୋଲିସ ହତ୍ୟାକାରୀଙ୍କୁ ଖୋଜିବା ଆରମ୍ଭ କରି ସାରିଛି କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ସୁରାକ ମିଳିନାହିଁ। ଏହି ଘଟଣାଟି ରୋହତକର ଏମପି ମାଜରା ଗାଁ ପାଖାପାଖି ହୋଇଛି। ସୋମବାର ଅପରାହ୍ନରେ ଜଣେ ବ୍ୟକ୍ତି ଏମପି ମାଜରା ଦେଇ ଯାଉଥିବା ବେଳେ ରାସ୍ତାରେ ଏକ ସୁନସାନ ଜାଗାରେ ସେହି ଲହୁଲୁହାଣ ଶବ ପଡିଥିବାର ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ସୂଚନା ମିଳିବାମାତ୍ରକେ ପୋଲିସ ସେଠାରେ ପହଞ୍ଚି ଶବ ଉଦ୍ଧାର କରିଥିଲା। ଏବଂ ସେହି ଶବ ବାବା ଗୋରେଖନାଥ ମନ୍ଦିରର ମହନ୍ତ ବିଜୟଙ୍କର ବୋଲି ଜଣା ପଡିଥିଲା। ସୂଚନାଅନୁଯାୟୀ ସେହି ଜାଗାରେ ଖୋଜାଖୋଜି କଲା ପରେ ପୋଲିସକୁ ଏକ ରକ୍ତ ଲାଗିଥିବା ଧାରୁଆ ଅସ୍ତ୍ର ମିଳିଥିଲା। ପୋଲିସଙ୍କ କହିବା ଅନୁଯାୟୀ ୫୦ ବର୍ଷୀୟ ବିଜୟ ପାଖରେ ଥିବା ଭଦାନି ଗ୍ରାମରେ ବାସ କରନ୍ତି ଏବଂ ସେ ମନ୍ଦିରରେ ଏକା ରହୁଥିଲେ। ଏହା ପୂର୍ବରୁ ମନ୍ଦିରରୁ ଲୁଟ କରିବା ଉଦ୍ୟମ ହୋଇସାରିଥିବା ବେଳେ ଏବେ ପୋଲିସ ସନ୍ଦେହ କରୁଛି ଯେ ଏଥର ମଧ୍ୟ ହତ୍ୟାକାରୀ ଲୁଟ ଉଦ୍ୟମ କରିଥିବା ବେଳେ ମହନ୍ତ ତାଙ୍କୁ ଅଟକାଇବା ଉଦ୍ୟମ କରିଥିଲେ ଯେଉଁଥି ପାଇଁ ତାଙ୍କୁ ମାରିଦିଆଯାଇଛି। ଏବେ ପୋଲିସ ହତ୍ୟାକାରୀ ମାନଙ୍କୁ ଧରିବା ନିମନ୍ତେ ଚେଷ୍ଟା ଚଳାଇଛି।