ବିଦ୍ୟାଳୟରୁ ୮୧ ଜଣଙ୍କୁ ଅପହରଣ

0
99
81 kidnapped in a school of cameroon

ୟୋନ୍ଦେ: ପଶ୍ଚିମ କ୍ୟାମେରୁନ୍‌ର ବାମେଣ୍ଡା ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାକାର ଏକ ବିଦ୍ୟାଳୟରୁ ୮୧ ଜଣଙ୍କୁ ଅପହରଣ କରି ନିଆଯାଇଛି। ତନ୍ମଧ୍ୟରୁ ୭୯ ଛାତ୍ରଛାତ୍ରୀ ରହିଥିବା ବେଳେ ସ୍କୁଲ୍‌ର ଅଧ୍ୟକ୍ଷ ଏବଂ ଜଣେ ଶିକ୍ଷକ ମଧ୍ୟ ରହିଛନ୍ତି। ସୂଚନାଯୋଗ୍ୟ, ରବିବାର ବିଳମ୍ବିତ ରାତିରେ ଅପହରଣକାରୀ ବନ୍ଧୁକରେ ପିଲାମାନଙ୍କୁ ଭୟଭୀତ କରାଇ ଜଙ୍ଗଲ ଆଡକୁ ନେଇଯାଇଥିବାର ଅନୁମାନ କରାଯାଉଛି। ତେବେ ବିଚ୍ଛିନ୍ନତାବାଦୀ କିମ୍ବା ଅନ୍ୟ କୌଣସି ଆତଙ୍କବାଦୀ ସଂଗଠନ ଏଭଳି କାଣ୍ଡ ଘଟାଇଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି। ଅପହୃତ ହୋଇଥିବା ଉକ୍ତ ଛାତ୍ରଛାତ୍ରୀମାନଙ୍କର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଭିଡିଓରେ ଅପହରଣକାରୀମାନେ ୬ ଛାତ୍ରଙ୍କୁ ସେମାନଙ୍କ ନାମ ଏବଂ ସେମାନଙ୍କ ବାପା ମା’ଙ୍କ ନାମ କହିବାକୁ ବାଧ୍ୟ କରୁଥିବା ବେଳେ ଦାବି ପୂରଣ ପରେ ପିଲାମାନଙ୍କୁ ଛାଡ଼ିଦେବେ ବୋଲି କହିଛନ୍ତି। କିନ୍ତୁ ସେମା‌ନଙ୍କ ଦାବି କ’ଣ ତାହା ସେମାନେ ଭିଡିଓରେ ପ୍ରକାଶ କରିନାହାନ୍ତି।