ଜଣେ ୧୧ ବର୍ଷର ବାଳକ ପାଠ ପଢ଼ାନ୍ତି ଇଞ୍ଜିନିୟରିଂ ପିଲାଙ୍କୁ

0
220

ହାଇଦ୍ରାବାଦ: କଥାଟି ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଜଣେ ୧୧ ବର୍ଷର ବାଳକ ମହମ୍ମଦ୍‌ ହସନ୍‌ ପାଠ ପଢ଼ାନ୍ତି ଇଞ୍ଜିନିୟରିଂ ପିଲାମାନଙ୍କୁ। ଅନ୍ୟ ଛାତ୍ରଙ୍କ ପରି ସପ୍ତମ ଶ୍ରେଣୀର ଛାତ୍ର ମହମ୍ମଦ୍‌ ମଧ୍ୟ ସକାଳୁ ଉଠି ସ୍କୁଲ୍‌ ଯାଇଥାନ୍ତି। ପଢ଼ା ସାରି ସ୍କୁଲରୁ ସେ ୩.୩୦ ମିନିଟ୍‌ରେ ଘରକୁ ଫେରନ୍ତି। କିନ୍ତୁ ଘରକୁ ଫେରି ଖେଳକୁଦ, ଟିଭିରେ କାର୍ଟୁନ୍‌ ଦେଖିବା ପରିବର୍ତ୍ତେ ମହମ୍ମଦ୍‌ ଇଞ୍ଜିନିୟରିଂ ପିଲାଙ୍କୁ ‘ଡିଜାଇନ୍‌ ଓ ଡ୍ରାଫଟିଂ’ର ପାଠ ପଢ଼ାଇବାକୁ ଯାଇଥାନ୍ତି। ପାଠ ପଢ଼ାଇବା ପଛରେ ଏକ ଉଦ୍ଦେଶ୍ୟ ରହିଛି ତାଙ୍କର। ତାଙ୍କ କହିବା ଅନୁସାରେ, ସେ ୟୁଟ୍ୟୁବ୍‌ରେ ଥରେ ଏକ ଭିଡିଓ ଦେଖିବାକୁ ପାଇଥିଲେ। ଯେଉଁଥିରେ ସେ ଦେଖିଥିଲେ, ଭାରତରେ ଶିକ୍ଷା ଲାଭ କରି ଅନେକ ଛାତ୍ର ଆମେରିକାକୁ ଚାକିରି କରିବାକୁ ଯାଉଛନ୍ତି ଏବଂ ସେଠାରେ ଖରାପ ଚାକିରି ମିଳିଲେ ମଧ୍ୟ କରିବାକୁ ବାଧ୍ୟ ହେଉଛନ୍ତି। ଏହି କଥାକୁ ନେଇ ମହମ୍ମଦ ଚିନ୍ତା କରିଥିଲେ ଏବଂ ଭାରତୀୟ ଇଞ୍ଜିନିୟର୍‌ଙ୍କ ପାଖରେ ଟେକ୍‌ନିକାଲ୍‌ ଓ କମ୍ୟୁନିକେସନ୍‌ ସ୍କିଲ୍‌ର ଅଭାବ ରହିଛି ବୋଲି ଅନୁଭବ କରିଥିଲେ। ସେବେଠାରୁ ତାଙ୍କର ଡିଜାଇନିଂ ପ୍ରତି ରୁଚି ବଢିଥିଲା। ଫାଙ୍କା ସମୟରେ ସେ ଡିଜାଇନିଂ ପାଠକୁ ନେଟ୍‌ରୁ ପଢି ଶିଖିବା ଆରମ୍ଭ କଲେ। ୨୦୨୦ ମଧ୍ୟରେ ୧ ହଜାର ଛାତ୍ରଙ୍କୁ ପଢ଼ାଇବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି। ମହମ୍ମଦ ସକାଳ ୫:୩୦ରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଏଥିପାଇଁ ପରିଶ୍ରମ କରିଥାନ୍ତି। ଏହାପରେ ସେ ନିଜର ହୋମୱାର୍କ କରି ଶୋଇବାକୁ ଯାଇଥାନ୍ତି।