ଆଜିଠୁ ଆରମ୍ଭ ହେବାକୁ ଯାଉଛି ୩ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା

0
125
IND Vs WI 1st T20

କୋଲ୍‌କାତା: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା। ଉଭୟ ଟେ‌ଷ୍ଟ ଓ ଦିନିକିଆ ଶୃଙ୍ଖଳା ହାସଲ କରି ଘରୋଇ ଭାରତ କୋଲ୍‌କାତାର ଐତିହାସିକ ଇଡେନ୍‌ ଗାର୍ଡେନ୍‌ରେ ରବିବାର ପ୍ରଥମ ମ୍ୟାଚ୍‌ ଖେଳିବ। ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିଲା ବେଳେ ୱିକେଟ୍‌ରକ୍ଷକ ମହେନ୍ଦ୍ର ସିଂହ ଧୋ‌ନିଙ୍କ ବିନା ପ୍ରଥମ ଥର ଲାଗି ଭାରତ ଟ୍ବେଣ୍ଟି-୨୦କୁ ଓହ୍ଲାଇବ। ରୋହିତ ଶର୍ମା ଏହି ଶୃଙ୍ଖଳାରେ ଦଳର ନେତୃତ୍ବ ନେବେ। ଧୋନିଙ୍କ ଅନୁପସ୍ଥିତିରେ ଯୁବ ତାରକା ଋଷଭ ପନ୍ତ୍‌ ଓ ଅଭିଜ୍ଞ ଦୀନେଶ କାର୍ତିକ ଶ୍ରେୟସ ଆୟର, ଅଲ୍‌ରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା ଓ ସାହବାଜ୍‌ ନଦୀମ୍‌ଙ୍କୁ ସମର୍ଥନ ଦେଇଛନ୍ତି ରୋହିତ। ବୋଲିଂରେ ଯଶ୍‌ପ୍ରିତ୍‌ ବୁମ୍‌ରା ଓ ଭୁବନେଶ୍ବର କୁମାରଙ୍କ ସହ ଖଲିଲ ଅହମ୍ମଦ ଖେଳିବା ନିଶ୍ଚିତ ଥିଲା ବେଳେ ୟୁଜ୍‌ବେନ୍ଦ୍ର ଚହଲ୍‌ ଓ କୁଲ୍‌ଦୀପ୍‌ ଯାଦବ ସ୍ପିନ୍‌ ଆକ୍ରମଣ ସମ୍ଭାଳିବେ। ବ୍ୟାଟିଂରେ ଲୋକେଶ ରାହୁଲ୍‌ ଖେଳିବା ସମ୍ଭାବନା ଅଧିକ ବୋଲି ରୋହିତ କହିଛନ୍ତି। ଫଳରେ ଟେଷ୍ଟ ଓ ଦିନିକିଆ ଶୃଙ୍ଖଳା ପରେ ସେହି ବିଜୟ ଧାରାକୁ ବଜାଇ ରଖିବା ପାଇଁ ଭାରତ ଟ୍ବେଣ୍ଟି-୨୦ ଶୃଙ୍ଖଳା ଉପରେ ନଜର ରଖିଛି। ହେଲେ ଘରୋଇ ଦଳକୁ ଟେଷ୍ଟ ଓ ଦିନିକିଆ ପରେ କ୍ରିକେଟ୍‌ର ସବୁଠୁ ଛୋଟିଆ ଫର୍ମାଟ୍‌ ଟ୍ବେଣ୍ଟି-୨୦ରେ ଶକ୍ତିଶାଳୀ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ କଡ଼ା ପରୀକ୍ଷାର ସାମ୍‌ନା କରିବାକୁ ପଡ଼ିବ। ଟ୍ବେଣ୍ଟି-୨୦ ବିଶେଷଜ୍ଞ ଭାବେ ଡାରେନ୍‌ ବ୍ରାଭୋ, କିରଣ ପୋଲାର୍ଡ ଓ ରସେଲଙ୍କ ଭଳି ଖେଳାଳି ଦଳରେ ସାମିଲ ଥିବାରୁ ଭାରତକୁ ଜିତିବା ସହଜ ହେବନାହିଁ। ତେବେ ଶେଷ ଖବର ଅନୁଯାୟୀ ରସେଲ୍‌ ଆହତ ହୋଇଥିବ‌ାରୁ ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ବାଦ୍‌ ପଡ଼ିଛନ୍ତି। ଏହା ଭ୍ରମଣକାରୀ ଦଳ ପାଇଁ ନିଶ୍ଚିତ ବଡ଼ ଝଟ୍‌କା ହେବ। ତଥାପି ଅଧିନାୟକ କାର୍ଲୋସ୍‌ ବ୍ରାଥ୍‌ୱେଟ୍‌ ଟ୍ବେଣ୍ଟି-୨୦ରେ ଭଲ ପ୍ରଭାବ ଛାଡ଼ିଥାନ୍ତି, ତେଣୁ ଚଳିତ ଗସ୍ତର ଶେଷ ଭାଗକୁ ଜିତି ବିଜୟ ଗୌରବ ପାଇବାକୁ ଇଣ୍ଡିଜ୍‌ ନିଶ୍ଚିତ ଚାହିଁବ। ଗତ ୨୦୦୯ ପରଠୁ ୨୦୧୭ ମଧ୍ୟରେ ଉଭୟ ଦଳ ପରସ୍ପର ୮ ଥର ମୁହାଁମୁହିଁ ହୋଇଥିଲା ବେଳେ ଇଣ୍ଡିଜ୍‌ ୫ ଜିତିଥିଲା ବେଳେ ଭାରତ ମାତ୍ର ୨ ଜିତିଛି। ଶେଷ ଥର ପାଇଁ ଭାରତ ୨୦୧୪ ମାର୍ଚ ୨୩ରେ ବାଂଲାଦେଶରେ ଆୟୋଜିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଇଣ୍ଡିଜ୍‌କୁ ପରାସ୍ତ କରିଥିଲା।